Skip to content
Monday, 16 November 2026
Breaking News
Video
Programme

ଶିଶୁପାଳଗଡ଼ରେ ତପୁ ହତ୍ୟା ମାମଲା: ୨ଦିନିଆ ରିମାଣ୍ଡରେ ୨ମୁଖ୍ୟ ଅଭିଯୁକ୍ତ, ୪ ଦାମୀ ଗାଡ଼ି ଜବତ

ଶିଶୁପାଳଗଡ଼ରେ ତପୁ ହତ୍ୟା ମାମଲା: ୨ଦିନିଆ ରିମାଣ୍ଡରେ ୨ମୁଖ୍ୟ ଅଭିଯୁକ୍ତ, ୪ ଦାମୀ ଗାଡ଼ି ଜବତ

ଶିଶୁପାଳଗଡ଼ରେ ତପୁ ହତ୍ୟା ମାମଲା: ୨ଦିନିଆ ରିମାଣ୍ଡରେ ୨ମୁଖ୍ୟ ଅଭିଯୁକ୍ତ, ୪ ଦାମୀ ଗାଡ଼ି ଜବତ

Key Points

  • ଧଉଳି: ଚଳିତ ମାସ ୫ ତାରିଖ ରାତିରେ ଶିଶୁପାଳଗଡ଼ ବଡ଼ଟାଙ୍ଗୀ ଅଞ୍ଚଳରେ ଘଟିଥିବା ତପୁ ନାୟକ ହତ୍ୟା ମାମଲାର ୨ମୁଖ୍ୟ ଅଭିଯୁକ୍ତ ଚିତ୍ରସେନ ଗଜେନ୍ଦ୍ର ଓ ଠିକାଦାର ଉମେଶ ପଟ୍ଟନାୟକଙ୍କୁ ଆଜି ଧଉଳି ଥାନା ପୁଲିସ ଦୁଇଦିନିଆ ରିମାଣ୍ଡରେ…
  • ଚୋରା ବନ୍ଧୁକ କାରବାର ଓ ହତ୍ୟାକାଣ୍ଡର ସିନ୍‌ ରିକ୍ରିଏସନ୍‌ ପାଇଁ ପୁଲିସ ୭ଦିନିଆ ରିମାଣ୍ଡ ଆବେଦନ କରିଥିଲା।
  • କିନ୍ତୁ କୋର୍ଟ ୨ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି।

ଶିଶୁପାଳଗଡ଼ରେ ତପୁ ହତ୍ୟା ମାମଲା: ୨ଦିନିଆ ରିମାଣ୍ଡରେ ୨ମୁଖ୍ୟ ଅଭିଯୁକ୍ତ, ୪ ଦାମୀ ଗାଡ଼ି ଜବତ

 

ଧଉଳି: ଚଳିତ ମାସ ୫ ତାରିଖ ରାତିରେ ଶିଶୁପାଳଗଡ଼ ବଡ଼ଟାଙ୍ଗୀ ଅଞ୍ଚଳରେ ଘଟିଥିବା ତପୁ ନାୟକ ହତ୍ୟା ମାମଲାର ୨ମୁଖ୍ୟ ଅଭିଯୁକ୍ତ ଚିତ୍ରସେନ ଗଜେନ୍ଦ୍ର ଓ ଠିକାଦାର ଉମେଶ ପଟ୍ଟନାୟକଙ୍କୁ ଆଜି ଧଉଳି ଥାନା ପୁଲିସ ଦୁଇଦିନିଆ ରିମାଣ୍ଡରେ ଆଣିଛି। ଚୋରା ବନ୍ଧୁକ କାରବାର ଓ ହତ୍ୟାକାଣ୍ଡର ସିନ୍‌ ରିକ୍ରିଏସନ୍‌ ପାଇଁ ପୁଲିସ ୭ଦିନିଆ ରିମାଣ୍ଡ ଆବେଦନ କରିଥିଲା। କିନ୍ତୁ କୋର୍ଟ ୨ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ଚୋରା ବନ୍ଧୁକ କାରବାରର ଖୋଳତାଡ଼ କରୁକରୁ ଆଜି ପୁଲିସ ଚିତ୍ରସେନ ଘରୁ ଗୁଳି ଭର୍ତ୍ତି ମାଗାଜିନ୍‌ ଜବତ କରିଛି। ସେହିଭଳି ତା’ର ୪ଟି ଦାମୀ ଗାଡ଼ି ଜବତ କରାଯିବା ସହ ଭାଇ ସୋମନାଥ ଗଜେନ୍ଦ୍ରକୁ ପୁଲିସ ମାରାଥନ୍‌ ଜେରା କରୁଛି।  ଆଜି ପୁଲିସ ଉଭୟ ଅଭିଯୁକ୍ତ ଚିତ୍ରସେନ ଓ ଉମେଶକୁ ନେଇ ହତ୍ୟାକାଣ୍ଡ ଘଟିଥିବା ତଥାକଥିତ ଭୋଜିସ୍ଥଳକୁ ଯାଇଥିଲା। ସେଦିନ ଠିକାଦାର ଉମେଶ ଭୋଜିର ଆୟୋଜନ କରିଥିଲେ ହେଁ ଚିତ୍ରସେନ ଘରେ ଭୋଜିର ଆସର ଜମିଥିଲା। ତେଣୁ ସେଠାରେ ଅଭିଯୁକ୍ତଦ୍ବୟ ଘଟଣା ସମୟର ଦୃଶ୍ୟ ଓ ସ୍ଥିତି ପୁଲିସ ସମ୍ମୁଖରେ ଦେଖାଇଥିଲେ। ସେହିଭଳି ସେଠାରୁ ସେମାନେ କିଭଳି ଗୁଳିବିଦ୍ଧ ତପୁକୁ ବାଇକ୍‌ରେ ନେଇ ହସ୍ପିଟାଲ ଯାଇଥିଲେ, ତାହା ବି ଡେମୋ କରି ଦେଖାଇଥିଲେ। ଏହାପରେ ଅପରାହ୍ଣରେ ପୁଲିସ ଟିମ୍‌ ଶିଶୁପାଳଗଡ଼ ତଳସାହିରେ ଥିବା ଚିତ୍ରସେନଙ୍କ ଘର ଛାନ୍‌ଭିନ୍‌ କରିଥିଲା। ସେଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ତଥା ଜବତ ବନ୍ଧୁକର ଗୁଳି ଭର୍ତ୍ତି ମାଗାଜିନ ଜବତ କରାଯାଇଥିଲା। ଏଥିସହିତ ଚିତ୍ରସେନର ପ୍ରାୟ ଅଢ଼େଇ କୋଟି ଟଙ୍କା ମୂଲ୍ୟର ଫର୍ଚୁନର୍‌, ସ୍କର୍ପିଓ ଭଳି ୪ଟି ଦାମୀ କାର୍‌ ଜବତ କରାଯାଇଥିଲା। ଦାମୀ କାର୍‌ ଚଢ଼ିବା ସଉକ ରଖିଥିବା ଚିତ୍ରସେନର ସବୁ ଗାଡ଼ିର ନମ୍ବର ୯୧୭୮ ଥିବା ଜଣାପଡ଼ିଛି। ସେହିପରି ପୁଲିସ ଟିମ୍‌ ଠିକାଦାର ଉମେଶର କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ଉ କରି ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ବଡ଼ କଥା ହେଉଛି, ଚୋରା ବନ୍ଧୁକ ଚାଲାଣ ସମ୍ପର୍କୀତ ତଥ୍ୟ ହାତେଇବାକୁ ପୁଲିସ ଅଭିଯୁକ୍ତ ଚିତ୍ରସେନର ବଡ଼ଭାଇ ସୋମନାଥକୁ ଥାନାରେ ରଖି ପଚରାଉଚରା କରୁଛି।ସୋମନାଥ ପାଖରେ ଚୋରା ବନ୍ଧୁକ ଚାଲାଣ ସମ୍ପର୍କିତ ତଥ୍ୟ ଥିବା ଜାଣି ପୁଲିସ ତା’ଠାରୁ ସବୁ ସତ ଉଗାରିବାକୁ ଚେଷ୍ଟା କରୁଛି। ସେଦିନ ରାତିରେ ଧଉଳି ଥାନା ପୁଲିସ ଚିତ୍ରସେନକୁ ଗିରଫ କରିବା ବେଳେ ସେ ବନ୍ଧୁକକୁ ଗଙ୍ଗୁଆ ନାଳରେ ପକାଇ ଦେଇଥିବା ମାନିଥିଲା ଏବଂ ଉକ୍ତ ବନ୍ଧୁକକୁ ସେ ପୁରୀରୁ କିଣିଥିବା ସ୍ବୀକାର କରିଥିଲା। ତେଣୁ ପୁରୀରୁ ଭୁବନେଶ୍ବର ପର୍ଯ୍ୟନ୍ତ ଲମ୍ବିଥିବା ଏହି ଚୋରା ବନ୍ଧୁକ କାରବାର ଚଳାଇଥିବା ରୢାକେଟ୍‌ର ପର୍ଦ୍ଦାଫାସ କରିବାକୁ ପୁଲିସ ଲାଗିପଡ଼ିଛି।  ସୂଚନାଯୋଗ୍ୟ ଯେ ଘଟଣାଦିନ ରାତିରେ ତପୁ ଘରୁ ୮୦ ହଜାର ଟଙ୍କା ନେଇ ଠିକାଦାର ଉମେଶଙ୍କୁ ଦେବା ପାଇଁ ଶିଶୁପାଳଗଡ଼ ଯାଇଥିଲେ। କିନ୍ତୁ ନୂଆ ବନ୍ଧୁକ କିଣା ଖୁସିରେ ଚିତ୍ରସେନ ଘରେ ଆୟୋଜିତ ଭୋଜିଭାତର ଆସର ବେଳେ ତପୁ ଗୁଳିକାଣ୍ଡର ଶିକାର ହୋଇଯାଇଥିଲେ। ଠିକାଦାର ଉମେଶର ସହଯୋଗୀ ପିକୁନ୍‌, ତପୁଙ୍କ ଛାତିରେ ପିସ୍ତଲ ରଖି ଟ୍ରିଗର୍‌ ଦବାଇଦେଇଥିଲା। ତୁରନ୍ତ ସେମାନେ ଗୁଳିବିଦ୍ଧ ତପୁଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ। ମାତ୍ର ଶିଶୁଭବନ ଫ୍ଲାଏଓଭର ଉପରେ ତପୁଙ୍କ ମୃତ୍ୟୁ ହୋଇଯିବା ଦେଖି ଠିକାଦାର ଉମେଶ ତୁରନ୍ତ ଏକ ନାଟକ ରଚନା କରିଥିଲା। ଦୁଇ ଅଜଣା ଦୁର୍ବୃତ୍ତ ତପୁଙ୍କୁ ଶିଶୁଭବନ ବ୍ରିଜ୍‌ରେ ଗୁଳିକରି ଫେରାର ହୋଇଗଲେ ବୋଲି ଉମେଶ କମିସନରେଟ୍‌ ପୁଲିସକୁ ଫୋନ୍‌ କରିଥିଲା। ମାତ୍ର ପରେ ତା’ ଚାଲ୍‌ ଧରାପଡ଼ିଯାଇଥିଲା ଏବଂ ପୁଲିସ ରାତାରାତି ଭୋଜିରେ ସାମିଲ ହୋଇଥିବା ୮ଜଣଙ୍କୁ ଗିରଫ କରିଥିଲା।

 

What's Your Reaction?

like

dislike

love

funny

angry

sad

wow

BIDYADHAR BARIK MADHU
Written by

BIDYADHAR BARIK MADHU

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION

Related Posts

Comments