ଥୋଡ଼ ବେଳେ ଦାଉସାଧୁଛି ରୋଗପୋକ ସମସ୍ୟା; ଧାନଚାଷରେ ସବୁଜ ଶୁଣ୍ଢ ସଁବାଳୁଆ ପୋକ
ଥୋଡ଼ ବେଳେ ଦାଉସାଧୁଛି ରୋଗପୋକ ସମସ୍ୟା; ଧାନଚାଷରେ ସବୁଜ ଶୁଣ୍ଢ ସଁବାଳୁଆ ପୋକ
ଥୋଡ଼ ବେଳେ ଦାଉସାଧୁଛି ରୋଗପୋକ ସମସ୍ୟା; ଧାନଚାଷରେ ସବୁଜ ଶୁଣ୍ଢ ସଁବାଳୁଆ ପୋକ
କାଳିଆପାଣି : ଧାନଗଛରେ ଥୋଡ଼ ଓ ଫୁଲ ଉଡ଼ାଇବା ବେଳରେ ଦାଉ ସାଧୁଛି ବିଭିନ୍ନ ରୋଗପୋକ ସମସ୍ୟା। ସୁକିନ୍ଦା ତହସିଲ ବନ୍ଧଗାଁ, କାଙ୍କଡ଼ପାଳ ଓ କାଳିଆପାଣି ସର୍କଲର ଶତାଧିକ ହେକ୍ଟର ଜମିରେ ଏବେ ସବୁଜ ଶୁଣ୍ଢ ସଁବାଳୁଆ ପୋକ, ଶିଙ୍ଗଧାରୀ ସୁକପୋକ ଓ ଧାନ କୁଦାଡିଆଁ ପୋକ ମାଡ଼ି ଯାଉଥିବା ସାଧାରଣରେ ଅଭିଯୋଗ ହୋଇଛି। ଏହାଦ୍ବାରା ପତ୍ରମୋଡ଼ା ରୋଗ ଦେଖାଦଇଛି। ଧାନପତ୍ରର ଅଗ୍ରଭାଗ ହଳଦିଆ ଓ କମଳାରଙ୍ଗ ହୋଇଯାଉଛି। ପ୍ରଭାବିତ ଧାନବୁଦା ବଢ଼ିପାରୁନଥିବା ଦେଖାଯାଉଛି। ଏହି ପୋକ ଫୁଲରୁ ଶସ ଚୁସି ଖାଉଥିବାରୁ ଅମଳ ପ୍ରଭାବିତ ହେବା ଆଶଂକା ଦେଖାଦେଇଛି। ବିଶେଷକରି ଅଧିକ ଅମଳକ୍ଷମ କଳାଚମ୍ପା, ୧୦୧୭ ଓ ପୂଜା ପ୍ରଜାତିର ଧାନଚାଷ ପ୍ରଭାବିତ ହୋଇଥିବା କୁହାଯାଉଛି। ୫ ଦିନ ଧରି ଲାଗି ରହିଥିବା ଝିପିଝିପି ବର୍ଷା ଓ କୋହଲା ପାଗରେ ପୋକ ବଂଶବୃଦ୍ଧି ଜନିତ ରୋଗ ଦ୍ରୁତଗତିରେ ବ୍ୟାପୁଥିବା ସାଧାରଣରେ ଅଭିଯୋଗ ହୁଏ। ରୋଗପୋକ ସମସ୍ୟାକୁ ନେଇ ଚାଷୀ କାଙ୍କଡ଼ପାଳ ସରପଞ୍ଚ ସଞ୍ଜୟ କୁମାର ପରିଡ଼ା, ପୂର୍ବତନ ସରପଞ୍ଚ ଶରତ ନାୟକ, ତ୍ରିଲୋଚନ ପରିଡ଼ା, ଭୋଳାନାଥ ପରିଡ଼ା, ଅମୂଲ୍ୟ ନାୟକ, ଚକ୍ରଧର ପରିଡ଼ା, କେଶବ ପ୍ରଧାନ, ମାଧବାନନ୍ଦ ପ୍ରଧାନ, ବନ୍ଧଗାଁ ପଞ୍ଚାୟତ ମାନତୀରା ଗାଁର ଚାଷୀ ଘନଶ୍ୟାମ ମହାନ୍ତ, ତପନ କୁମାର ମହାନ୍ତ, ବିରଞ୍ଚି ମହାନ୍ତ ଓ ଭରତ ମହାନ୍ତ, ପିମ୍ପୁଡ଼ିଆ ପଞ୍ଚାୟତ ନୂଆଡିହ ଗାଁର ଭୋଳାନାଥ ନାୟକ ପ୍ରମୁଖ ଚିନ୍ତା ପ୍ରକଟ କରିଛନ୍ତି। ଏବର୍ଷ ଅନୁକୂଳ ପାଣିପାଗ ଓ ଭଲ ବର୍ଷା ପାଇଁ ସୁକିନ୍ଦା ତହସିଲରେ ଧାନଚାଷ ଆଶାନୁରୂପ ହୋଇଛି। ତେବେ ଅମଳର ଅବ୍ୟବହିତ ପୂର୍ବରୁ ରୋଗପୋକ ସମସ୍ୟା ପାଇଁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ବ୍ୟୟବହୁଳ ପ୍ରତିଷେଧକ ବ୍ୟବସ୍ଥା, ଅଲୋକ ଯନ୍ତା ଓ ଦାମୀ କୀଟନାଶକ ପାଇଁ ଅଧିକାଂଶ ଚାଷୀ ସମସ୍ୟାର ପ୍ରତିକାର କରିବାରେ ଝୁଣ୍ଟିଛନ୍ତି। ସେମାନଙ୍କ ଆଖି ଆଗରେ ଫସଲ ଉଜୁଡ଼ିଯିବା ଆଶଂକା ପ୍ରକାଶ ପାଇଛି। ପ୍ରଭାବିତ ଚାଷୀମାନେ ପ୍ରଶାସନିକ ସହାୟତା ଦାବି କରିଛନ୍ତି।ଏ ସଂପର୍କରେ ବ୍ଲକ କୃଷି ଅଧିକାରୀ ଭଦ୍ର ନାରାୟଣ ଦାସଙ୍କୁ ପଚାରିବାରେ ପଞ୍ଜିକୃତ କୃଷକମାନେ ଗ୍ରାମ କୃଷକ ସାଥୀଙ୍କ ଜରିଆରେ ଅନଲାଇନ ଆବେଦନ କରିପାରିବେ। ଆବେଦନ ଆଧାରରେ ପ୍ରାପ୍ତ ଅନୁମତି ପତ୍ର ନେଇ ଜିଲ୍ଲାର ଯେକୌଣସି ପ୍ରାଧିକୃତ ବିକ୍ରେତାଙ୍କ ଠାରୁ କୀଟନାଶକ ଓ ଔଷଧ କିଣିପାରିବେ। ପରେ ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ଏହାର ସବ୍ସିଡ୍ ପଠାଇ ଦିଆଯିବାର ବ୍ୟବସ୍ଥା ରହିଛି। ଯଦ୍ବାରା ଚାଷୀକୁଳ ଲାଭବାନ ହୋଇପାରିବେ ବୋଲି କହିଥିଲେ।

