ହାଇକୋର୍ଟରେ ନର୍ଲା ନିର୍ବାଚନୀ ମୋକଦ୍ଦମା, ପୁଣି ଥରେ ଶୁଣାଣି ଆରମ୍ଭ ପ୍ରସଂଗ, ବିଧାୟିକା ନୋଟିସ ପାଇଛନ୍ତି ବୋଲି ଗ୍ରହଣ କରାଯିବ
ହାଇକୋର୍ଟରେ ନର୍ଲା ନିର୍ବାଚନୀ ମୋକଦ୍ଦମା, ପୁଣି ଥରେ ଶୁଣାଣି ଆରମ୍ଭ ପ୍ରସଂଗ, ବିଧାୟିକା ନୋଟିସ ପାଇଛନ୍ତି ବୋଲି ଗ୍ରହଣ କରାଯିବ
ହାଇକୋର୍ଟରେ ନର୍ଲା ନିର୍ବାଚନୀ ମୋକଦ୍ଦମା, ପୁଣି ଥରେ ଶୁଣାଣି ଆରମ୍ଭ ପ୍ରସଂଗ, ବିଧାୟିକା ନୋଟିସ ପାଇଛନ୍ତି ବୋଲି ଗ୍ରହଣ କରାଯିବ
କଟକ: ନର୍ଲା ନିର୍ବାଚନୀ ମୋକଦ୍ଦମା ନୂଆ ମୋଡ଼ ନେଇଛି। ନର୍ଲା ବିଧାନସଭା ଆସନ ନିର୍ବାଚନୀ ଫଳାଫଳକୁ ଚାଲେଞ୍ଜ କରି ଦାୟର ମାମଲା ୨୦୨୬, ମାର୍ଚ୍ଚ ୩୦ରେ ପ୍ରତ୍ୟାହୃତ ହୋଇଥିବା ବେଳେ ଏହାର ଶୁଣାଣି ପୁଣି ଆରମ୍ଭ କରିବା ପ୍ରସଂଗକୁ ନେଇ ଦାୟର ଅନ୍ତରୀଣ ଆବେଦନରେ ହାଇକୋର୍ଟ ଜାରି କରିଥିବା ନୋଟିସ ମାମଲାର ପ୍ରତିପକ୍ଷ ବିଧାୟିକା ମନୋରମା ମହାନ୍ତି ଗ୍ରହଣ କରିବାକୁ ମନା କରିଛନ୍ତି। ମାମଲର ଶୁଣାଣି ବେଳେ ଏଭଳି କଥା ସ୍ପଷ୍ଟ ହେବା ପରେ ପ୍ରତିପକ୍ଷଙ୍କୁ ନୋଟିସ ପ୍ରଦାନ କରାଯାଇଛି ବୋଲି ଗ୍ରହଣ କରିବାକୁ ହାଇକୋର୍ଟ କହିଛନ୍ତି। ଏଥି ସହିତ ନଭେମ୍ବର ୧୧କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଏ ସଂପର୍କିତ ନିର୍ବାଚନୀ ମୋକଦ୍ଦମାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।ଏଠାରେ ସୂଚନା ଯୋଗ୍ୟ ଯେ ୨୦୨୪ରେ ନର୍ଲା ଆସନରୁ ବିଜେଡି ପ୍ରାର୍ଥୀ ମନୋରମା ମହାନ୍ତିଙ୍କ ନିର୍ବାଚନକୁ ଚାଲେଞ୍ଜ କରି ପରାଜିତ କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଏହି ମାମଲାକୁ ଶ୍ରୀ ଦାସ ପ୍ରତ୍ୟାହାର କରିଥିଲେ। ୨୦୨୬, ମାର୍ଚ୍ଚ ୩୦ରେ ହାଇକୋର୍ଟ ଶ୍ରୀ ଦାସଙ୍କୁ ନିର୍ବାଚନୀ ମୋକଦ୍ଦମା ପ୍ରତ୍ୟାହାର ପାଇଁ ଅନୁମତି ଦେବା ସହିତ ପ୍ରତିପକ୍ଷ ଶ୍ରୀମତୀ ମହାନ୍ତିଙ୍କୁ ୫ ହଜାର ଟଙ୍କା ଆବେଦନକାରୀ ଶ୍ରୀ ଦାସ ପ୍ରଦାନ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ମାର୍ଚ୍ଚ ୩୦ର ଏପରି ନିର୍ଦ୍ଦେଶକୁ ପ୍ରତ୍ୟାହାର କରାଯାଉ। ଶ୍ରୀ ଦାସଙ୍କ ବଦଳରେ ତାଙ୍କୁ ଆବେଦନକାରୀ ଭାବେ ନିର୍ବାଚନୀ ମାମଲା ଆଗକୁ ଚଳାଇବା ପାଇଁ ଅନୁମତି ଦିଆଯାଉ ବୋଲି ଦର୍ଶାଇ ଅନିରୁଦ୍ଧ ପ୍ରଧାନ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।ଶ୍ରୀ ପ୍ରଧାନଙ୍କ ତରଫରୁ ଦାୟର ଅନ୍ତରୀଣ ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ୨୦୨୪ ନର୍ଲା ବିଧାନସଭା ଆସନ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ସେ ପ୍ରତିଦ୍ବନ୍ଦ୍ବୀତା କରିଥିଲେ। ଶ୍ରୀମତୀ ମହାନ୍ତି ସର୍ବାଧିକ ୬୭୫୩୨ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଦାସ ୬୨୩୨୭ ଖଣ୍ଡ ଓ ଶ୍ରୀ ପ୍ରଧାନ ୪୭୪୧୭ ଖଣ୍ଡ ଭୋଟ ପାଇଥିଲେ। ନିର୍ବାଚନରେ ପ୍ରାର୍ଥୀ ଥିବାରୁ ଲୋକପ୍ରତିନିଧି ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ଶ୍ରୀ ଦାସଙ୍କ ବଦଳରେ ସେ ମାମଲାରେ ଆବେଦନକାରୀ ହୋଇ ପାରିବେ। ଶ୍ରୀମତୀ ମହାନ୍ତିଙ୍କ ନାମାଙ୍କନପତ୍ରର ଗ୍ରହଣୀୟତାକୁ ନେଇ ପ୍ରଶ୍ନ ଉଠାଯାଇଥିଲା ଓ ସତ୍ୟପାଠରେ ସେ ତଥ୍ୟ ଲୁୁଚାଇଥିବା ଅଭିଯୋଗ ନେଇ ନିର୍ବାଚନୀ ମୋକଦ୍ଦମା ଦାୟର ହୋଇଥିଲା। ଏଭଳି ଅଭିଯୋଗ ଜନସ୍ବାର୍ଥ ସମ୍ବଳିତ।ତେଣୁ ଏହି ନିର୍ବାଚନୀ ମୋକଦ୍ଦମାର ଶୁଣାଣି ପ୍ରକ୍ରିୟା ଆବେଦନକାରୀ ଭାବେ ଆଗେଇ ନେବାକୁ ତାଙ୍କୁ ଅନୁମତି ଦିଆଯାଉ ବୋଲି ଶ୍ରୀ ପ୍ରଧାନଙ୍କ ଆବେଦନରେ ଉଲ୍ଲେଖ କରାଯାଇଥିଲା। ୨୦୨୬, ଅଗଷ୍ଟ ୧୯ରେ ହାଇକୋର୍ଟ ଶ୍ରୀ ପ୍ରଧାନଙ୍କ ଅନ୍ତରୀଣ ଆବେଦନର ଶୁଣାଣି କରି ନିର୍ବାଚନୀ ମୋକଦ୍ଦମାର ପ୍ରତିପକ୍ଷ ବିଧାୟିକା ମନୋରମା ମହାନ୍ତିଙ୍କୁ ନୋଟିସ ଜାରି କରିଥିଲେ। ମାମଲାର ବିବରଣୀରୁ ପ୍ରକାଶ ନର୍ଲା ଆସନ ନିର୍ବାଚନୀ ଫଳାଫଳକୁ ଅସିଦ୍ଧ ଘୋଷଣା ପାଇଁ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଦାସ ଦାୟର କରିଥିବା ମାମଲାକୁ ୨୦୨୪, ଜୁଲାଇ ୨୫ରେ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହିତ ପ୍ରତିପକ୍ଷ ତଥା ନର୍ଲା ବିଧାୟିକା ଶ୍ରୀମତୀ ମହାନ୍ତିଙ୍କୁ ନୋଟିସ୍ ଜାରି କରିଥିଲେ। ଗତବର୍ଷ ନଭେମ୍ବର ୨୭ରେ ମାମଲାରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା। ପ୍ରଥମ ସାକ୍ଷୀ ଭାବେ ଆବେଦନକାରୀଙ୍କ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା। ଏହି ମାମଲାରେ ୨୦୨୫, ଡିସେମ୍ବର ୧୭ରେ ଆବେଦନକାରୀ ଶ୍ରୀ ଦାସଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିଲା। ଏହାପରେ ଆବେଦନକାରୀଙ୍କ ତରଫରୁ ଅନ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା ଆବେଦନକାରୀଙ୍କ ତରଫରୁ ୨୦୨୬, ଫେବ୍ରୁଆରି ୬ରେ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିଲା। ଏହାପରେ ମାମଲାର ପ୍ରତିପକ୍ଷ ତଥା ବିଧାୟିକା ଶ୍ରୀମତୀ ମହାନ୍ତିଙ୍କ ତରଫରୁ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହେବା କଥା। କିନ୍ତୁ ଗତ ମାର୍ଚ୍ଚ ୩୦ରେ ନିର୍ବାଚନୀ ମୋକଦ୍ଦମାର ଶୁଣାଣି ବେଳେ ଶ୍ରୀ ଦାସଙ୍କ ତରଫରୁ ଆବେଦନ ପ୍ରତ୍ୟାହାର ପାଇଁ ଅନୁମତି ଲୋଡ଼ା ଯାଇଥିଲା। ହାଇକୋର୍ଟ ଏଥି ପାଇଁ ଅନୁମତି ଦେବା ସହିତ ନର୍ଲା ନିର୍ବାଚନୀ ମୋକଦ୍ଦମାର ଶୁଣାଣିରେ ଅନ୍ତ ଘଟାଇଥିଲେ। ଶ୍ରୀ ପ୍ରଧାନଙ୍କ ତରଫରୁ ଆଇନଜୀବୀ ଧନଞ୍ଜୟ ମୁଣ୍ଡ ମାମଲା ପରିଚାଳନା କରୁଛନ୍ତି।

