ବଲିଙ୍ଗିଆ ଓ କତିଙ୍ଗିଆରେ ଭୂସ୍ଖଳନ, ୪୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର  

 ବଲିଙ୍ଗିଆ ଓ କତିଙ୍ଗିଆରେ ଭୂସ୍ଖଳନ, ୪୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର  

 ବଲିଙ୍ଗିଆ ଓ କତିଙ୍ଗିଆରେ ଭୂସ୍ଖଳନ, ୪୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର   

 ବଲିଙ୍ଗିଆ ଓ କତିଙ୍ଗିଆରେ ଭୂସ୍ଖଳନ, ୪୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର

 

ଘୁ. ଉଦୟଗିରି:  ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପ୍ରବଳ ବର୍ଷାରେ ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର ବଲିଙ୍ଗିଆ ଗ୍ରାମ ନିକଟସ୍ଥ ପାହାଡ଼ରେ ଭୂସ୍ଖଳନ ହୋଇଛି। ସେହିଭଳି କତିଙ୍ଗିଆରେ ମଧ୍ୟ ଭୂସ୍ଖଳନ ଘଟି ଏକାଧିକ ପରିବାର ବିପନ୍ନ ହୋଇଛନ୍ତି। ସମସ୍ତ ବିପନ୍ନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନାରେ, ପାହାଡ଼ ଉପରୁ ବଡ଼ ବଡ଼ ପଥର, ମାଟି ଅତଡ଼ା ଓ ଗଛ ଖସି ରାସ୍ତା ଉପରେ ପଡ଼ିବା ଫଳରେ ଗ୍ରାମକୁ ଯାତାୟାତ ବିଚ୍ଛିନ୍ନ ହୋଇଯାଇଛି। ଭୂସ୍ଖଳନର ପ୍ରଭାବ ପ୍ରାୟ ଏକ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ଦେଖାଦେଇଛି। କେତେକ ସ୍ଥାନରେ ଜଳର ପ୍ରବଳ ସ୍ରୋତରେ ୨୦୦ ଫୁଟରୁ ଅଧିକ ଗଭୀର ଖାଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।ଭୂସ୍ଖଳନ ଯୋଗୁଁ ବଲିଙ୍ଗିଆ ଗ୍ରାମର ରାସ୍ତା ବନ୍ଦ ହୋଇଯିବାରୁ ସେଠାରେ ରହୁଥିବା ୧୨ଟି ପରିବାରର ୪୦ଜଣ ସଦସ୍ୟଙ୍କୁ  ସୁରକ୍ଷା ଦୃଷ୍ଟିରୁ ଅନ୍ୟସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଘୁ.ଉଦୟଗିରିର ଭାରପ୍ରାପ୍ତ ବିଡିଓ ସତ୍ୟନାରାୟଣ ମିଶ୍ର, ତହସିଲଦାର ସମୁଦ୍ର ମିଶ୍ର, ଅତିରିକ୍ତ ତହସିଲଦାର ଦେବାଶିଷ ଜେନା, ଅଗ୍ନିଶମ ଅଧିକାରୀ ମହେଶ୍ୱର ପ୍ରଧାନ ଓ ଡାକ୍ତର ଦେବବ୍ରତ ବାରିକଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି।  ପରେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ ମଧ୍ୟ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି। ପ୍ରଶାସନ ଠାରୁ ମିଳିଥିବା ସୂଚନାନୁସାରେ, ଉଦ୍ଧାର ପରିବାରଙ୍କୁ କିଲାକିଆ ଆଶ୍ରମ ସ୍କୁଲରେ ଅସ୍ଥାୟୀ ଭାବେ ରଖାଯାଇଛି। ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ ସହ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି।  ସେହିଭଳି, କତିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ସିପାଏଯୁ ନିକଟରେ ମଧ୍ୟ ଭୂସ୍ଖଳନ ଘଟିଛି। ସକାଳ ପ୍ରାୟ ୬ଟା ସମୟରେ କୃଷ୍ଣଚନ୍ଦ୍ର ନାୟକଙ୍କ ପରିବାର ଘରେ ଶୋଇଥିବା ବେଳେ ହଠାତ୍ ପାହାଡ଼ରୁ ମାଟି ଅତଡ଼ା ଖସି ଘର ଭିତରକୁ ପଶିଥିଲା। ଏହା ଦେଖି ପରିବାର ସଦସ୍ୟମାନେ ଜୀବନ ବଞ୍ଚାଇବା ପାଇଁ ଘରୁ ବାହାରକୁ ଦୌଡ଼ି ପଳାଇଥିଲେ। ଫଳରେ ସେମାନେ ଅଳ୍ପକେ ବଡ଼ ବିପଦରୁ ବର୍ତ୍ତିଯାଇଥିଲେ।ତେବେ ଘର ଭିତରେ ପାଣି, କାଦୁଅ ଓ ମାଟି ପଶି ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ କେତେକ କୁକୁଡ଼ା ଓ ଛେଳି ଭାସିଯାଇଥିବା କିମ୍ବା ମରିଯାଇଥିବା ଜଣାପଡ଼ିଛି।ପରେ ସ୍ଥାନୀୟ ସରପଞ୍ଚ ବିଭୂତି ପ୍ରଧାନ ପ୍ରଭାବିତ ପରିବାରକୁ କିଲାକିଆ ସ୍କୁଲକୁ ନେଇ ଆଶ୍ରୟ ଦେଇଥିଲେ।କତିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ସପାକେତା, କ୍ଲାଟୁ, ସିଲାଟି, ଗଡ଼ିଶାଲା ନିକଟସ୍ଥ ପାହାଡ଼ ଓ ସିପାଏଯୁ ନିକଟରେ ଭୂସ୍ଖଳନ ଘଟିଛି। ଏହାର ପ୍ରଭାବରେ ୧୫ରୁ ଅଧିକ ଚାଷୀଙ୍କ ଚାଷଜମି କ୍ଷତିଗ୍ରସ୍ତ ହୋଇଛି।ପ୍ରଦୀପ ପ୍ରଧାନ, ବନ୍ଧୁରାଜ ପ୍ରଧାନ ଓ ସହଦେବ ପ୍ରଧାନଙ୍କ ସମେତ ଅନେକ ଚାଷୀଙ୍କ ହଳଦୀ, ଧାନ ଓ ଅନ୍ୟାନ୍ୟ ଫସଲ ଉପରେ ମାଟି ଓ ପଥର ମାଡ଼ିଯାଇଛି।