ନାବାଳିକା ଦୁଷ୍କର୍ମ ଅଭିଯୋଗ: ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଉପ-ଜିଲ୍ଲାପାଳଙ୍କୁ ରାଇରଙ୍ଗପୁର ମହାବିଦ୍ୟାଳୟ ଛାତ୍ର ସଂସଦ ତରଫରୁ ଦାବିପତ୍ର ପ୍ରଦାନ
---------------------
(ରାଇରଙ୍ଗପୁର/କଳିଙ୍ଗ ବିକାଶ ) : 29/10/
ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଅନ୍ତର୍ଗତ ବସନ୍ତପୁର ଗ୍ରାମରେ ଜଣେ ଚାରି ବର୍ଷର ନାବାଳିକା ଶିଶୁ କନ୍ୟା ପ୍ରତି ଘଟିଥିବା କଥିତ ଦୁଷ୍କର୍ମ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉଦ୍ବେଗ ଓ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାରେ ନିରପେକ୍ଷ ତଦନ୍ତ, ପୀଡ଼ିତାଙ୍କୁ ସୁରକ୍ଷା ତଥା ଅଭିଯୁକ୍ତ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP), ରାଇରଙ୍ଗପୁର ଶାଖା ପକ୍ଷରୁ ବାମନଘାଟି ଉପ-ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଜଣେ ନିଷ୍ପାପ କୋମଳମତି ଶିଶୁ ପ୍ରତି ଏପରି ଘୃଣ୍ୟ ଅପରାଧ ସମଗ୍ର ଅଞ୍ଚଳରେ ଗଭୀର ଆଘାତ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ନିମ୍ନଲିଖିତ ଦାବିଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବିଭିପି ପକ୍ଷରୁ ଦାବି କରାଯାଇଛି:
* ପୋଲିସ ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ଏକ ନିରପେକ୍ଷ ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତଦନ୍ତ ସମ୍ପୂର୍ଣ୍ଣ କରାଯାଉ।
* ପୀଡ଼ିତା ଶିଶୁ ଏବଂ ତାଙ୍କ ପରିବାରର ସୁରକ୍ଷା ଓ ଗୋପନୀୟତା ସୁନିଶ୍ଚିତ କରିବା ସହ ଉପଯୁକ୍ତ ଚିକିତ୍ସା ସୁବିଧା ଏବଂ ମାନସିକ ସହାୟତା (କାଉନସେଲିଂ) ଯୋଗାଇ ଦିଆଯାଉ।
* ଆଇନ ଅନୁଯାୟୀ ପୀଡ଼ିତାଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯାଇ ତାଙ୍କ ପରିବାରକୁ ଯେକୌଣସି ପ୍ରକାର ଚାପ କିମ୍ବା ସାମାଜିକ ଲଜ୍ଜାରୁ ସୁରକ୍ଷା ଦିଆଯାଉ।
* ତଦନ୍ତ ପରେ ଅଭିଯୁକ୍ତ ବିରୋଧରେ ପୋକ୍ସୋ (POCSO) ଆକ୍ଟ ସମେତ ଭାରତୀୟ ଆଇନର କଠୋର ଧାରା ଅନୁଯାୟୀ ଦୃଢ଼ ଦଣ୍ଡବିଧାନ କରାଯାଉ।
ଶିଶୁର କଲ୍ୟାଣ ତଥା ନ୍ୟାୟ ପ୍ରଦାନକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏହି ମାମଲାକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରିବାକୁ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ବେଳେ ଇପ୍ସିତ କୁମାର ମହାନ୍ତ, ମନୀଷା ପୂର୍ତ୍ତି, ତନ୍ମୟ ଗିରି, ଦୀପକ କୁମାର ମାଝୀ, ଛବିନା ଗିରି, ଚନ୍ଦନ କୁମାର ସିଙ୍କୁ, ମୌସୁମୀ ଚମ୍ପା ଟୁଡୁ, ଲକ୍ଷ୍ମୀ ନାୟକ, ତ୍ରିଶା ରାମ, ଖୁସି ଗିରି, ଧନଞ୍ଜୟ ଦଳେଇ, ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।ରାଇରଙ୍ଗପୁରରୁ ଜ୍ୟୋତିରଞ୍ଜନ ଷଡ଼ଙ୍ଗୀଙ୍କ ରିପୋର୍ଟ କଳିଙ୍ଗ ବିକାଶ।
