**ରାଇରଙ୍ଗପୁର ବଜାର ରେଳ ଫାଟକରେ ଓଭର ବ୍ରିଜ ନିର୍ମାଣ ଦାବି**
କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି
ରାଇରଙ୍ଗପୁର/(କଳିଙ୍ଗ ବିକାଶ ): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରର ମୁଖ୍ୟ ସଡ଼କରେ ଥିବା ବଜାର ରେଳ ଫାଟକଠାରେ ସଡ଼କ ଉପରିପୋଲ (ରୋଡ୍ ଓଭରବ୍ରିଜ୍–ROB) ନିର୍ମାଣ କରିବା ଦାବିରେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ରାଇରଙ୍ଗପୁର ରେଳ ଷ୍ଟେସନ୍ ମ୍ୟାନେଜର ଶ୍ରୀ ବଙ୍ଗାଳୀ ଟୁଡୁ ଏବଂ ନବକିଶୋର ଟୁଡୁଙ୍କ ଜରିଆରେ ଗୁରୁବାର ଏହି ଦାବିପତ୍ର ପ୍ରଦାନ କରାଯାଇଛି।
ଦାବିପତ୍ରରେ ରାଇରଙ୍ଗପୁର ବଜାର ରେଳ ଫାଟକଠାରେ ଆର୍ଓବି ନିର୍ମାଣ ପାଇଁ ଆବଶ୍ୟକ ପ୍ରଶାସନିକ ଓ ବୈଷୟିକ ପଦକ୍ଷେପ ଗ୍ରହଣ କରିବା ସହ ପ୍ରକଳ୍ପକୁ ଶୀଘ୍ର ଅନୁମୋଦନ ଦେବାକୁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।
ରାଇରଙ୍ଗପୁର–ବାରିପଦା ମୁଖ୍ୟ ସଡ଼କରେ ଅବସ୍ଥିତ ଏହି ରେଳ ଫାଟକଟି ରାଇରଙ୍ଗପୁର ସହର ସମେତ ଆଖପାଖ ଗ୍ରାମାଞ୍ଚଳର ଯାତାୟାତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ। ଏହି ରାସ୍ତା ଦେଇ ପ୍ରତିଦିନ ବହୁ ସଂଖ୍ୟାରେ ବସ୍, ଟ୍ରକ୍, କାର୍, ଦୁଇଚକିଆ ଯାନ ଓ ଅନ୍ୟାନ୍ୟ ଗାଡ଼ି ଚଳାଚଳ କରୁଛି। ରେଳ ଫାଟକ ବନ୍ଦ ହେବା ସମୟରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଯାତ୍ରୀ, ଛାତ୍ରଛାତ୍ରୀ, ରୋଗୀ, କର୍ମଚାରୀ ଓ ବ୍ୟବସାୟୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପୂର୍ବତନ ବିଧାୟକଙ୍କ କହିବା ଅନୁଯାୟୀ, ଏହି ଆର୍ଓବି ନିର୍ମାଣ ପ୍ରକଳ୍ପ ସମ୍ପର୍କରେ ପୂର୍ବରୁ ରେଳ ବିଭାଗୀୟ ଅଧିକାରୀ ଓ ଉପଜିଲ୍ଲାପାଳଙ୍କ ଦ୍ୱାରା ପ୍ରସ୍ତାବିତ ସ୍ଥାନର ମିଳିତ ସର୍ବେକ୍ଷଣ ଓ ନିରୀକ୍ଷଣ କରାଯାଇଥିଲା। ତେବେ କୌଣସି କାରଣରୁ ଏହି ପ୍ରକଳ୍ପର କାର୍ଯ୍ୟ ଆଗକୁ ବଢ଼ିପାରିନାହିଁ। ତେଣୁ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ସ୍ପଷ୍ଟ କରିବା ସହ ଆବଶ୍ୟକ ଅନୁମୋଦନ ଓ ବୈଷୟିକ ପ୍ରକ୍ରିୟା ଶୀଘ୍ର ସମ୍ପନ୍ନ କରିବାକୁ ସେ ଦାବି କରିଛନ୍ତି।
ଏହି ଉପରିପୋଲ ନିର୍ମାଣ ହେଲେ ରେଳ ଓ ସଡ଼କ ଯାତାୟାତ ଅଧିକ ସୁରକ୍ଷିତ ଓ ସୁଗମ ହେବା ସହ ରେଳ ଫାଟକରେ ବାରମ୍ବାର ଅଟକି ରହିବା ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ। ଏହାଦ୍ୱାରା ଜରୁରୀକାଳୀନ ଚିକିତ୍ସା ସେବା, ଦୈନନ୍ଦିନ ଯାତାୟାତ ଓ ବାଣିଜ୍ୟିକ କାର୍ଯ୍ୟକଳାପକୁ ମଧ୍ୟ ସୁବିଧା ମିଳିବ।
ଏହି ଜନସ୍ୱାର୍ଥସମ୍ବଳିତ ପ୍ରକଳ୍ପକୁ ପ୍ରାଥମିକତା ଦେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ସହ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଲିଖିତ ସୂଚନା ପ୍ରଦାନ କରିବାକୁ ପ୍ରହ୍ଲାଦ ପୂର୍ତ୍ତି ରେଳମନ୍ତ୍ରୀଙ୍କ ନିକଟରେ ନିବେଦନ କରିଛନ୍ତି।
ସେ ଆଶା ପ୍ରକାଶ କରିଛନ୍ତି ଯେ କେନ୍ଦ୍ର ରେଳମନ୍ତ୍ରୀ ଓ ରେଳ ପ୍ରଶାସନଙ୍କ ସକାରାତ୍ମକ ହସ୍ତକ୍ଷେପ ଦ୍ୱାରା ରାଇରଙ୍ଗପୁର ସହରବାସୀ ଏବଂ ଆଖପାଖ ଅଞ୍ଚଳର ଲୋକମାନଙ୍କ ଦୀର୍ଘଦିନର ଯାତାୟାତ ସମସ୍ୟାର ସମାଧାନ ହୋଇପାରିବ।ରାଇରଙ୍ଗପୁରରୁ ଜ୍ୟୋତିରଞ୍ଜନ ଷଡ଼ଙ୍ଗୀଙ୍କ ରିପୋର୍ଟ କଳିଙ୍ଗ ବିକାଶ।