ସୀସାମୁକ୍ତ ପଦାର୍ଥ ବିକଶିତକଲେ ଏନ୍ଆଇଟି, ଆଇଆଇଟି ଓ ନାଇଜର ଗବେଷକ
ସୀସାମୁକ୍ତ ପଦାର୍ଥ ବିକଶିତକଲେ ଏନ୍ଆଇଟି, ଆଇଆଇଟି ଓ ନାଇଜର ଗବେଷକ
ସୀସାମୁକ୍ତ ପଦାର୍ଥ ବିକଶିତକଲେ ଏନ୍ଆଇଟି, ଆଇଆଇଟି ଓ ନାଇଜର ଗବେଷକ
ରାଉରକେଲା: ଗବେଷଣା କ୍ଷେତ୍ରରେ ପୁଣି ଏକ ନୂଆ ସଫଳତା ହାସଲ କରିଛି ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି)। ଏନ୍ଆଇଟି ସମେତ ଆଇଆଇଟି ଗୌହାଟୀ, ଆଇଆଇଟି ବମ୍ବେ ଓ ନାଇଜର୍ (ଭୁବନେଶ୍ୱର)ର ଗବେଷକମାନେ ମିଳିତ ଭାବେ ଏକ ନୂତନ ସୀସାମୁକ୍ତ ଆଲୋକ ପ୍ରଦାନକାରୀ ପଦାର୍ଥ ବିକଶିତ କରିଛନ୍ତି। ଏହି ଗବେଷଣାର ନିଷ୍କର୍ସ ପ୍ରତିଷ୍ଠିତ ‘ଜର୍ଣ୍ଣାଲ ଅଫ୍ ମ୍ୟାଟେରିଆଲ୍ସ କେମିଷ୍ଟ୍ରି ସି’ ରେ ପ୍ରକାଶିତ ହୋଇଛି।ଏହାକୁ ଏନ୍ଆଇଟି ରାଉରକେଲା ରସାୟନ ବିଜ୍ଞାନ ବିଭାଗର ଆସୋସିଏଟ୍ ପ୍ରଫେସର ସରୋଜ ଏଲ୍. ସାମଲ ଓ ତାଙ୍କ ଗବେଷକ ଛାତ୍ର ସୁଭାଶିଷ ସାହୁ, ଆଇଆଇଟି ଗୌହାଟୀର ପ୍ରଫେସର ପରମେଶ୍ୱର କେ. ଆୟାର ଓ ଚକାଲି ଶ୍ରୀନିବାସ, ଆଇଆଇଟି ବମ୍ବେର ରଜନୀକାନ୍ତ ରଣା ଏବଂ ନାଇଜର୍ର ପ୍ରଫେସର ହିମାଂଶୁ ଏସ୍. ବିଶ୍ୱାଳ ଓ ଲକ୍ଷ୍ମୀପ୍ରିୟା ଦାଶ ମିଳିତ ଭାବେ ରଚନା କରିଛନ୍ତି। ସାଧାରଣତଃ ଆଲୋକ ପ୍ରସ୍ତୁତ କରୁଥିବା ପଦାର୍ଥଗୁଡ଼ିକରେ ସୀସା ବ୍ୟବହାର କରାଯାଇଥାଏ, ଯାହା ମଣିଷ ଶରୀର ଓ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ଏହାର ଏକ ସୁରକ୍ଷିତ ବିକଳ୍ପ ଭାବେ ବୈଜ୍ଞାନିକମାନେ ବିସମୁଥ୍ ଆଧାରିତ ଯୌଗିକ ପଦାର୍ଥ ଉପରେ ଗବେଷଣା କରି ଏହି ସଫଳତା ହାସଲ କରିଛନ୍ ଏହି ପଦାର୍ଥଟି ଶସ୍ତା ଓ ପରିବେଶ ଅନୁକୂଳ ଉପାଦାନରେ ପ୍ରସ୍ତୁତ ହୋଇଛି। ଏହି ବିସମୁଥ୍ ଆଧାରିତ ପଦାର୍ଥଟି ଉତ୍ତାପ ଓ ଆଦ୍ରତା ପ୍ରତି ସ୍ୱତନ୍ତ୍ର ପ୍ରତିକ୍ରିୟା ପ୍ରଦର୍ଶନ କରିଥାଏ, ଯାହା ଅଲଟ୍ରାଭାଓଲେଟ୍ (ୟୁଭି) ରଶ୍ମି ସଂସ୍ପର୍ଶରେ ଆସିଲେ ଭିନ୍ନ ଭିନ୍ନ ରଙ୍ଗର ଆଲୋକ ନିର୍ଗମନ କରେ। ଏହି ବିଶେଷ ଗୁଣ ଯୋଗୁ ଏହାକୁ ସାର୍ଟିଫିକେଟ୍, ସ୍ୱାକ୍ଷର ଓ ସୁରକ୍ଷା ଲେବଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ ଜାଲିଆତିରୁ ରକ୍ଷା କରିବା ପାଇଁ ଆଣ୍ଟି-କାଉଣ୍ଟର୍ଫିଟିଂ ଇଙ୍କ୍ ଭାବେ ବ୍ୟବହାର କରାଯାଇପାରିବ। ଏତଦ୍ବ୍ୟତୀତ ଖାଦ୍ୟ ପ୍ୟାକେଜିଂ ଓ ସଂରକ୍ଷଣ ଗୃହରେ ଆଦ୍ରତା ମାପିବା ପାଇଁ ହ୍ୟୁମିଡିଟି ସେନ୍ସର ଭାବେ ମଧ୍ୟ ବ୍ୟବହୃତ ହୋଇପାରିବ। ଗବେଷଣାକାରୀ ଦଳ ସୀସାମୁକ୍ତ ଏଲ୍ଇଡି ମଧ୍ୟ ପ୍ରସ୍ତୁତ କରିଛନ୍ତି, ଯାହା ସ୍ଥିର ଧଳା ଓ ହଳଦିଆ ଆଲୋକ ପ୍ରଦାନ କରିବାରେ ସକ୍ଷମ। ଆଗାମୀ ଦିନରେ ଏହି ପ୍ରଯୁକ୍ତିବିଦ୍ୟାକୁ ଅପ୍ଟିକାଲ୍ ସୁରକ୍ଷା ଓ ଶକ୍ତିକୁଶଳୀ ଆଲୋକ ବ୍ୟବସ୍ଥା କ୍ଷେତ୍ରରେ ବ୍ୟାପକ ଭାବେ ବ୍ୟବହାର କରିବା ପାଇଁ ବୈଜ୍ଞାନିକ ଦଳ ଲକ୍ଷ୍ୟ ରଖିଛନ୍ତି।

