*କଣ ଗାଁରେ ଖନ୍ଦାମଡା ଉତ୍ସବ ସମାପନ *
ରାଇରଙ୍ଗପୁର:(କଳିଙ୍ଗ ବିକାଶ )ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଝରାଡିହି ନିକଟସ୍ଥ କଣ' ଗ୍ରାମରେ ସାର୍ବଜନୀନ ଦୁର୍ଗାପୂଜା କମିଟି ଟ୍ରଷ୍ଟ, କଣ' ପକ୍ଷରୁ ଖନ୍ଦାମଡା ବା ନିଆଁ ମଡା ଉତ୍ସବ ଉଦଯାପିତ ହୋଇ ଯାଇଛି।
ଗ୍ରାମରେ ଥିବା ମାଆ ଦୂର୍ଗା'ଙ୍କ ମନ୍ଦିରରେ ଦଶହରା ପର୍ବ ଅବସରରେ ଦୀର୍ଘ ୧୬' ଦିନ ଧରି ଷଡଷ ପୂଜା ବିଧି ପାଳନ କରାଯାଇ ନବରାତ୍ରୀ ଏବଂ ଦଶହରା ପୂଜା କାର୍ଯ୍ୟ ସମ୍ପନ୍ନ ପରେ ବିଜୟା ଦଶମୀ ର ପରଦିନ ୧୭'ତମ (ଏକାଦଶୀ) ଦିବସରେ ଏହି ଖନ୍ଦା ମଡା ବା ନିଆଁରେ ଚାଲିବା ଉତ୍ସବ ପାଳନ ହୋଇଥାଏ। ଏହି ଖନ୍ଦା ମଡା ଉତ୍ସବ ଦେଖିବାକୁ ପଡଶୀ ଝାଡଖଣ୍ଡ ଅଞ୍ଚଳର ଲୋକଙ୍କ ସହିତ ସ୍ଥାନୀୟ ଅଞ୍ଚଳରୁ ବହୁ ଲୋକ'ଙ୍କ ସମାଗମ ହୋଇଥାଏ। ଏହି ଉତ୍ସବ ବହୁ ପୁରାତନ କାଳରୁ ଅନୁଷ୍ଠିତ ହୋଇ ଆସୁଛି। ନିଃସନ୍ତାନ ଦମ୍ପତ୍ତି, ରୋଗ ବ୍ୟାଧି ତଥା ବିଭିନ୍ନ ସମସ୍ୟା ରୁ ମୁକୁଳିବା ପାଇଁ ମାଆଙ୍କ ନିକଟରେ ବିଭିନ୍ନ ଲୋକେ ମାନସିକ ରଖିଥାନ୍ତି। ମାଆଙ୍କ ଉପରେ ପ୍ରଗାଢ ବିଶ୍ବାସ ଅନୁସାରେ ଲୋକଙ୍କ ମନସ୍କାମନା ପୂର୍ଣ୍ଣ ହେଉଥିବା ନେଇ ପ୍ରକାଶ କରିଥାନ୍ତି ସାଧାରଣ ଲୋକେ।
ଏହି ମନ୍ଦିରରେ ମାଆ ଦୂର୍ଗା'ଙ୍କ କୌଣସି ପ୍ରତିମୂର୍ତ୍ତି ପୂଜା ପାଇ ନଥାଏ ଏଠାରେ ମନ୍ଦିରର କାନ୍ଥରେ ନାଲି ମାଟିର ରଙ୍ଗ ଉପରେ ଅରୁଆ ଚାଉଳ ଗୁଣ୍ଡରେ ଝଟି ଦ୍ବାରା ଅଙ୍କିତ ବୁଇଥ ଚିତ୍ରରେ ମାଆ ଦୂର୍ଗା ପୂଜା ପାଇଥାନ୍ତି। ତେବେ ପ୍ରତ୍ୟକ ବର୍ଷ ବିଧି ବିଧାନର ସହିତ ପୂଜାପାଠ ଏବଂ ନିତି କାର୍ଯ୍ୟ ସମ୍ପନ୍ନ ହେଉଥିବା ବେଳେ ମନ୍ଦିର ପୂଜକ (ଦେହୁରୀ)'ଙ୍କ ସହିତ ଭକ୍ତା ମାନେ ଖଣ୍ଡା ଧରି ନିକଟସ୍ଥ ନଦୀରୁ ଘଟ ଆଣିବା ବେଳେ ନିଆରା ଦୃଶ୍ୟ ଦେଖିବାକୁ ମିଳିଥାଏ। ପାରମ୍ପାରିକ ବାଦ୍ୟର ତାଳରେ ଭକ୍ତାମାନେ ମାଆ'ଙ୍କ କାଳିସି ପ୍ରଭାବରେ ନୃତ୍ୟ କରୁଥିବା ବେଳେ ଚାବୁକ ମାଡରେ ଶାନ୍ତ ହେବା, ବରକଳି ଗଛଡାଳ କଣ୍ଟା ଉପରେ ଗଡିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ। ଶେଷରେ ଅପରାହ୍ନ ସମୟରେ ଭକ୍ତା ମାନେ ଅଙ୍ଗାର ଉପରେ ଚାଲି ପୂଜାବିଧି ସମ୍ପନ୍ନ କରିଥାନ୍ତି।
ଦେହୁରୀ ଘସିରାମ ଦଳେଇ ଏବଂ ଗାୟକ କୁଲଦୀପ ମହାକୁଡ'ଙ୍କ ପୌରହିତ୍ୟରେ ସମସ୍ତ ପୂଜା କାର୍ଯ୍ୟ ରୀତିନିତୀ ଅନୁସାରେ ସମ୍ପନ୍ନ ହୋଇଥିବା ବେଳେ ଦାସୀ ବ୍ରହ୍ମାନନ୍ଦ ମହାକୁଡ (ଅଗ୍ନିକୁଆଁରୀ), ମଧୁସୂଦନ ଦାସ (ଶୀସୁବନ), ସର୍ବେଶ୍ବର ଦାସ (ନାଡୁ ହନୁମନ୍ତ), ଉପେନ୍ଦ୍ର ମହାନ୍ତ (କାଶି ବିଶ୍ବନାଥ), ପ୍ରହରାଜ ପଲେଇ (ବାୟା ଖେଚଡା) ପ୍ରମୁଖ ପୂଜାବିଧିରେ ଅଂଶଗ୍ରହଣ କରିଥିଲେ। ଏହି ଖନ୍ଦାମଡା ଉତ୍ସବ ମାଆ ଦୂର୍ଗା ପୂଜା ସମିତି ର ଅଧ୍ୟକ୍ଷା ଛବିଲତା ବାରିକ, ସଭାପତି ରାଜାରାମ ବାରିକ,ଉପସଭାପତି ବିଶ୍ବନାଥ ଦାସ, ସଂପାଦକ ତଥା କୋଷାଧ୍ୟକ୍ଷ କିଶୋରି ମହାକୁଡ ପ୍ରମୁଖ'ଙ୍କ ତତ୍ବାବଧାନରେ ପରିଚାଳନା ହୋଇଥିଲା ବେଳେ ସମିତି ସଭ୍ୟ ଝୁଣ୍ଟୁ ଦାସ, ପିଣ୍ଟୁ ଦାସ, ଆଲୋକ ଦାସ, ତାପସ ବାରିକ, ସୁମିତ ବାରିକ, ପରିକ୍ଷିତ ବାରିକ ଓ ଆସ୍ତିକ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ।ରାଇରଙ୍ଗପୁରରୁ ଜ୍ୟୋତିରଞ୍ଜନ ଷଡ଼ଙ୍ଗୀଙ୍କ ରିପୋର୍ଟ କୋଳିଙ୍ଗ ବିକାଶ।