Skip to content
Saturday, 14 November 2026
Breaking News
Video
Programme

ଭତ୍ତା ପାଇଁ ଅପେକ୍ଷାର ଯୁଗ ଶେଷ: ଏଣିକି ଆବେଦନର ମାସକ ପରେ ମିଳିବ

ଭତ୍ତା ପାଇଁ ଅପେକ୍ଷାର ଯୁଗ ଶେଷ: ଏଣିକି ଆବେଦନର ମାସକ ପରେ ମିଳିବ

ଭତ୍ତା ପାଇଁ ଅପେକ୍ଷାର ଯୁଗ ଶେଷ: ଏଣିକି ଆବେଦନର ମାସକ ପରେ ମିଳିବ

Key Points

  • ବାଲେଶ୍ବର: ଓଡ଼ିଶା ପାଇଁ ଆଜି ହେଉଛି ଏକ ଐତିହାସିକ ଦିନ।
  • ରାଜ୍ୟର କୌଣସି ଗୁରୁଜନ, ବୟୋଜ୍ୟେଷ୍ଠ, ଦିବ୍ୟାଙ୍ଗଜନ କିମ୍ବା ଅସହାୟ ବ୍ୟକ୍ତି ଆଉ ସରକାରଙ୍କ ଭତ୍ତା ସହାୟତାରୁ ବଞ୍ଚିତ ହେବେ ନାହିଁ।
  • ମଧୁବାବୁ ପେନ୍‌ସନ୍‌ ପାଇବା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

ଭତ୍ତା ପାଇଁ ଅପେକ୍ଷାର ଯୁଗ ଶେଷ: ଏଣିକି ଆବେଦନର ମାସକ ପରେ ମିଳିବ

 

ବାଲେଶ୍ବର: ଓଡ଼ିଶା ପାଇଁ ଆଜି ହେଉଛି ଏକ ଐତିହାସିକ ଦିନ। ରାଜ୍ୟର କୌଣସି ଗୁରୁଜନ, ବୟୋଜ୍ୟେଷ୍ଠ, ଦିବ୍ୟାଙ୍ଗଜନ କିମ୍ବା ଅସହାୟ ବ୍ୟକ୍ତି ଆଉ ସରକାରଙ୍କ ଭତ୍ତା ସହାୟତାରୁ ବଞ୍ଚିତ ହେବେ ନାହିଁ। ମଧୁବାବୁ ପେନ୍‌ସନ୍‌ ପାଇବା ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଅପେକ୍ଷାର ଯୁଗ ଶେଷ ହେଲା; ଆରମ୍ଭ ହେଲା ଆପଣମାନଙ୍କ ଅଧିକାରକୁ ସମ୍ମାନ ଦେବାର ଯୁଗ। ଆଜି ବାଲେଶ୍ୱରଠାରେ ‘ମଧୁବାବୁ ପେନ୍‌ସନ୍‌ ଯୋଜନା’ରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ତଥା ଏକୀକୃତ ପେନ୍‌ସନ୍‌ ପରିଚାଳନା (ୟୁପିଏମ୍‌ପି) ପୋର୍ଟାଲ ଉନ୍ମୋଚନ  ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ବାଲେଶ୍ବରସ୍ଥିତ ରିଜର୍ଭ ପୁଲିସ ଲାଇନ୍‌ ପଡ଼ିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ପୂର୍ବ ସରକାରଙ୍କ ସମୟରେ ଉଭୟ ରାଜ୍ୟ ଓ ଜିଲ୍ଲା ପାଇଁ ଏକ ନିର୍ଦ୍ଦିଷ୍ଟ କୋଟା ବ୍ୟବସ୍ଥା ରହିଥିବାରୁ ପେନ୍‌ସନ୍‌ ପାଉଥିବା ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପରଲୋକ ପରେ ହିଁ ଅନ୍ୟ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ଭତ୍ତା ମିଳୁଥିଲା। ଭତ୍ତା ପାଇଁ ଜଣଙ୍କ ମୃତ୍ୟୁକୁ ଅନ୍ୟ ଜଣେ ଅପେକ୍ଷା କରିବା ଆଦୌ ଗ୍ରହଣୀୟ ନୁହେଁ। ଏହି ସମ୍ବେଦନହୀନ ଓ ଅମାନବୀୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସମାପ୍ତ କରାଯାଇଛି। ଏଣିକି ଯୋଗ୍ୟ ବ୍ୟକ୍ତି ଆବେଦନ କରିବାର ମାସକ ପରେ ନିଶ୍ଚିତ ଭତ୍ତା ପାଇବେ। ସେ କହିଥିଲେ, ଚଳିତବର୍ଷ ବଜେଟରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ୫ ଲକ୍ଷ ୫ ହଜାର ୮୧୭ ଜଣ ନୂତନ ଯୋଗ୍ୟ ବ୍ୟକ୍ତିଙ୍କୁ ମଧୁବାବୁ ଯୋଜନାରେ ସାମିଲ କରାଯାଇଛି। ଫଳରେ ରାଜ୍ୟ‌ରେ ସମୁଦାୟ ହିତାଧିକାରୀଙ୍କ ସଂଖ୍ୟା ୪୧, ୮୦, ୮୨୫କୁ ବୃଦ୍ଧି ପାଇଛି। ଏହି  ୫ ଲକ୍ଷ ଅଧିକ ହିତାଧିକାରୀଙ୍କ ପାଇଁ ବର୍ଷକୁ ୬୨୫ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ। ୬୦୦ କୋଟି ଟଙ୍କା ପାଇଁ ଆମର ଗୁରୁଜନମାନଙ୍କୁ ହନ୍ତସନ୍ତ କରିବା କୌଣସି ଦୃଷ୍ଟିରୁ ଶୋଭନୀୟ ନୁହେଁ।ଏହି ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ୟୁପିଏମ୍‌ପି ପୋର୍ଟାଲ୍‌ ବ୍ୟବସ୍ଥା କରାଯାଇଛି। ଏହି ପୋର୍ଟାଲ୍‌ ଜରିଆରେ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ର, ବିଡିଓଙ୍କ କାର୍ଯ୍ୟାଳୟ ମାଧ୍ୟମରେ ଯୋଗ୍ୟ ବ୍ୟକ୍ତିମାନେ ଭତ୍ତା ପାଇଁ ଆବେଦନ କରିପାରିବେ। ଆବେଦନ କରିବାର ପରମାସଠାରୁ ନିୟମିତ ଭାବେ ଭତ୍ତା ମିଳିବ। ୮୦ ବର୍ଷ ବୟସ୍କ ବ୍ୟକ୍ତିମାନଙ୍କୁ ବର୍ଦ୍ଧିତ ୩,୫୦୦ ଟଙ୍କା ଭତ୍ତା ପାଇଁ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ। ବୟସସୀମା ପୂର୍ଣ୍ଣ ହେଲେ ଏହା ଆପେ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ନୂତନ ହିତାଧିକାରୀମାନେ ଅକ୍ଟୋବର ଓ ନଭେମ୍ବର ମାସର ଭତ୍ତା ଏକାଠି ପାଇବେ। ଜିଲ୍ଲାସ୍ତରରେ ନଭେମ୍ବର ୧୧ ରୁ ୧୨ ଏବଂ ବ୍ଲକସ୍ତରରେ ନଭେମ୍ବର ୧୩ରୁ ୧୪ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଯେଉଁମାନେ ଏଥିରେ ପାଇବେ ନାହିଁ, ସେମାନେ ନଭେମ୍ବର ୨୫ ତାରିଖରେ ନିଜ ନିଜ ପଞ୍ଚାୟତ ବା ମ୍ୟୁନିସିପାଲିଟି କାର୍ଯ୍ୟାଳୟରୁ ନଗଦ ଭତ୍ତା ଗ୍ରହଣ କରିବେ। ଡିସେମ୍ବର ମାସଠାରୁ ପ୍ରତି ମାସର ୧୫ ତାରିଖରେ ନିୟମିତ ଭତ୍ତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ବାଲେଶ୍ୱର ଜିଲ୍ଲାରେ ପ୍ରାୟ ୩୪୦ କୋଟି ଟଙ୍କାର ୭୦ଟି ଉନ୍ନୟନମୂଳକ ପ୍ରକଳ୍ପର (୭୮ କୋଟି ଟଙ୍କାର ୨୮ଟି ପ୍ରକଳ୍ପର ଉଦ୍‌ଘାଟନ ଏବଂ ୨୬୨ କୋଟି ଟଙ୍କାର ୪୨ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର) ଶୁଭାରମ୍ଭ କରିଥିଲେ। ବାଲେଶ୍ବର ଜିଲ୍ଲାର ୧୫ ଜଣ ହିତାଧିକାରୀ ମୁଖ୍ୟମନ୍ତ୍ରୀଙ୍କଠାରୁ ସିଧାସଳଖ ଭତ୍ତା ଗ୍ରହଣ କରିଥିଲେ। ଏହାସହ ‘ମଧୁବାବୁ ପେନ୍‌ସନ୍‌ ଯୋଜନା’ ସଚେତନତା ରଥକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ  ଡ. କୃଷ୍ଣଚନ୍ଦ୍ର ମହାପାତ୍ର,  ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ, ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ, ବସ୍ତା ବିଧାୟିକା ସୁବାସିନୀ ଜେନା, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ, ବଡ଼ସାହି ବିଧାୟକ ସନାତନ ବିଜୁଳି, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବ୍ରୁ, ରାଇରଙ୍ଗପୁର ବିଧାୟକ ଜଲେନ୍‌ ନାଏକ, ସାରସକଣା ବିଧାୟକ ଭାଦବ ହାଁସଦା, ସାମାଜିକ ସୁରକ୍ଷା ବିଭାଗର ସଚିବ ଡକ୍ଟର ବୃନ୍ଦା. ଡି, ନିର୍ଦ୍ଦେଶିକା ପାରୁଲ ପଟୱାରୀ, ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ପ୍ରମୁଖ ମଞ୍ଚାସୀନ ଥିଲେ। ସାଂସଦ ପ୍ରତାପ ଷଡ଼ଙ୍ଗୀ ସ୍ବାଗତ ଭାଷଣ ଓ ସଦର ବିଧାୟକ ମାନସ କୁମାର ଦତ୍ତ ଧନ୍ୟବାଦ ପ୍ରଦାନ କରିଥିଲେ।

 

What's Your Reaction?

like

dislike

love

funny

angry

sad

wow

BIDYADHAR BARIK MADHU
Written by

BIDYADHAR BARIK MADHU

FOUNDER OMMTV MEDIA PVT. LTD. & KALINGA CINE ARTS FOUNDATION

Related Posts

Comments