ବିହାରୀ ଯୁବକକୁ ରାଉରକେଲାରୁ ଉଠାଇଲା ମୁମ୍ବାଇ ପୁଲିସ: ୧୮ ଲକ୍ଷ ଟଙ୍କା ଠକି ଏକ ହୋଟେଲରେ ଲୁଚିଥିଲା

ରାଉରକେଲା: ଟଙ୍କା ଦୁଇଗୁଣ କରିବା ଲୋଭ ଦେଖାଇ ଲୋକଙ୍କୁ ଠକିବା ଅଭିଯୋଗରେ ବିହାରର ମୁଜଫରପୁର ଜିଲ୍ଲା ‌ଶେଖପୁରର ସନ୍ତୋଷ କୁମାର(୩୯)କୁ ରାଉରକେଲାରୁ ଉଠାଇ ନେଇଛି ମୁମ୍ବାଇ କାନ୍ଦିଭଲି(ପଶ୍ଚିମ) ଥାନା ପୁଲିସ। ଛେଣ୍ଡ ପୁଲିସ ସହଯୋଗରେ ଏକ ହୋଟେଲରୁ ତାକୁ କାବୁ କରାଯାଇଥିଲା। ମୁମ୍ବାଇ କାନ୍ଦିଭଲି ଅଞ୍ଚଳର ମହମ୍ମଦ ଫାରୁଖ ଚାନେ ମନିହାର ବିହାରର ସନ୍ତୋଷ କୁମାର ନାମରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ସନ୍ତୋଷ ଗୋର୍‌ଗେଟ୍‌ସ ମ୍ୟୁଚୁଆଲ୍‌ ବେନିଫିଟ୍ସ ନିଧି ଲିମି‌ଟେଡ୍‌ ନାମକ ସଂସ୍ଥାରେ ଅର୍ଥ ନିବେଶ କରିବାକୁ ପ୍ରବର୍ତ୍ତାଇ ୨୦ ମାସରେ ନିବେଶ ରାଶିକୁ ଦୁଇଗୁଣ କରିଦେବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲା। ପରେ ଫାରୁଖ ନଭେମ୍ବର ୨୦୧୯ରୁ ସେପ୍ଟେମ୍ବର ୨୦୨୦ ମଧ୍ୟରେ ମୋଟ ୧୮ ଲକ୍ଷ ୪୦ ହଜାର ଟଙ୍କା ନିବେଶ କରିଥିଲେ। ତେବେ ନା ପ୍ରତିଶ୍ରୁତି ମୁତାବକ ଅର୍ଥରାଶି ଦୁଇଗୁଣ ହେଲା, ନା ମୂଳ ରାଶି ଫାରୁଖଙ୍କୁ ଫେରସ୍ତ ମିଳିଲା। ଅଭିଯୁକ୍ତ ବିଭିନ୍ନ ବ୍ୟାଙ୍କ ଖାତା ମାଧ୍ୟମରେ ଏହି ନିବେଶ ରାଶି ଗ୍ରହଣ କରିଥିଲା ଏବଂ ପରେ ବିଭିନ୍ନ ବ୍ୟାଙ୍କ ଜରିଆରେ ସେହି ଅର୍ଥକୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲା। ତଦନ୍ତ ସମୟରେ ଆର୍ଥିକ କାରବାର ଏବଂ ହିତାଧିକାରୀଙ୍କ ବ୍ୟାଙ୍କ ଖାତାଗୁଡ଼ିକର ଯାଞ୍ଚ କରାଯାଇଥିଲା। ଏହି ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଯାଇ ମୁମ୍ବାଇ କାନ୍ଦିଭଲି ଥାନାର ପିଏସ୍‌ଆଇ ରବୀନ୍ଦ୍ର ଚୌହାନଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‌ ରବିବାର ରାଉରକେଲାରେ ପହଞ୍ଚିଥିଲା। ଅଭିଯୁକ୍ତ ଛେଣ୍ଡ ଥାନା ଅଞ୍ଚଳରେ ଥିବା ଜଣାପଡ଼ିବା ପରେ ଥାନାଧିକାରୀଙ୍କ ସହଯୋଗ ଲୋଡ଼ିଥିଲା। ଛେଣ୍ଡ ପୁଲିସ ମୁମ୍ବାଇ ଟିମ୍‌ ସହ ଅଭିଯୁକ୍ତକୁ ଠାବ କରିବା ସହ କାବୁ କରିବାରେ ସହ‌‌ଯୋଗ କରିଥିଲା। ଏହାପରେ ଅଭିଯୁକ୍ତକୁ ଥାନାରେ ପଚରାଉଚରା ପରେ ମୁମ୍ବାଇ ପୁଲିସ ନେଇ ଯାଇଥିବା ସୂଚନା ମିଳିଛି।