୫ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ

୫ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ

୫ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ

୫ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ

 

ସମ୍ବଲପୁର:  ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପାଇଁ ଲାଞ୍ଚ ନେବା ଅଭିଯୋଗରେ ସମ୍ବଲପୁର-ତାଳଚେର ଦୋହରୀକରଣ ରେଳଲାଇନ ପ୍ରକଳ୍ପର ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଅଜୟ କୁମାର ଗଡନାୟକ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ଜାଲରେ ପଡ଼ିଛନ୍ତି। ଆଜି (ସୋମବାର) ଜଣେ ଜମି ମାଲିକଙ୍କଠାରୁ ୩ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଓଡ଼ିଶା ଭିଜିଲାନ୍ସ ଟିମ୍‌ ହାତରେ ଧରାପଡ଼ିଥିବା ବେଳେ ତାଙ୍କ ନିକଟରୁ ରଙ୍ଗବୋଳା ଲାଞ୍ଚ ଟଙ୍କା ଜବତ କରାଯାଇଛି।ଭିଜିଲାନ୍ସ ସୂଚନା ଅନୁଯାୟୀ, ଜମି ଅଧିଗ୍ରହଣ ବାବଦରେ ୮୪ ଲକ୍ଷ ୬୨ ହଜାର ୨୮୮ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବା ଏବଂ ଭବିଷ୍ୟତରେ ତୃତୀୟ ରେଳଲାଇନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସମୟରେ ସହାୟତା କରିବା ନିମେନ୍ତ ଜଣେ ଜମି ମାଲିକଙ୍କୁ ଅଧିକାରୀ ଗଡନାୟକ ୫ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଗତ ଅକ୍ଟୋବର ୨୭ ତାରିଖରେ ସେ ଅଭିଯୋଗକାରୀଙ୍କଠାରୁ ୨ ଲକ୍ଷ ଟଙ୍କା ନେଇଥିଲେ। ଅବଶିଷ୍ଟ ୩ ଲକ୍ଷ ୧୦ ହଜାର ଟଙ୍କା ତୁରନ୍ତ ଦେବାକୁ ଦାବି କରିଥିଲେ। ଏପରିକି ଅବଶିଷ୍ଟ ଟଙ୍କା ନଦେଲେ ତୃତୀୟ ରେଳଲାଇନ ପ୍ରକଳ୍ପ ପାଇଁ ଭବିଷ୍ୟତରେ ଜମି ଅଧିଗ୍ରହଣ ଓ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରିବେ ବୋଲି ଅଭିଯୋଗକାରୀଙ୍କୁ ଧମକ ଦେଇଥିଲେ। ଏଥିରେ ଅତିଷ୍ଠ ହୋଇ ଜମି ମାଲିକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ।ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ରଙ୍ଗେହାତ ଧରିବାକୁ ଯୋଜନା କରାଯାଇଥିଲା। ସୋମବାର ଗଡ଼ନାୟକ ଅଭିଯୋଗକାରୀଙ୍କଠାରୁ ଅବଶିଷ୍ଟ ୩ ଲକ୍ଷ ୧୦ ହଜାର ଟଙ୍କା ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଦଳ ତାଙ୍କୁ ଧରିଥିଲା। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି।ଏନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ ନଭେମ୍ବର ୧ ତାରିଖରେ ମାମଲା ନଂ. ୨୦/୨୦୨୬ ରୁଜୁ କରାଯାଇଛି। ବର୍ତ୍ତମାନ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଗଡ଼ନାୟକଙ୍କ ସହ ସମ୍ପୃକ୍ତ ୩ଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଛି। ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲାର ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।