ବିଳମ୍ବିତ ରାତିରେ ଆସିଲା ଫଳ
ବିଳମ୍ବିତ ରାତିରେ ଆସିଲା ଫଳ
ବିଳମ୍ବିତ ରାତିରେ ଆସିଲା ଫଳ
ଭୁବନେଶ୍ବର: ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପୁଣି ବିସିଜେଡଇ ବାଜିମାତ୍ କରିଛି। ସଭାପତି ଭାବେ ବିସିଜେଡିର ସୋନାଲି ବେହେରା ଓ ସାଧାରଣ ସମ୍ପାଦକ ଭାବେ ଲକ୍ଷ୍ମୀପ୍ରିୟା ବିଶ୍ବାଳ ବିଜୟୀ ହୋଇଛନ୍ତି। ଉପସଭାପତି ଭାବେ ସାଇ ଅର୍ପିତା ମହାପାତ୍ର, ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ସୁଦେଷ୍ଣା ଖୁଣ୍ଟିଆ, କ୍ରୀଡ଼ା ସମ୍ପାଦକ ଭାବେ ଅଙ୍କିତା ମଲ୍ଲିକ, ସହକ୍ରୀଡ଼ା ସମ୍ପାଦକ ଭାବେ ବବ୍ଲି ଦୀପ୍, ନାଟ୍ୟ ସମ୍ପାଦକ ଭାବେ ରୁପାଲି ପାଣି, ଡିଏସ୍ଏ ସମ୍ପାଦକ ଭାବେ ସମୀକ୍ଷା ସୋମନ, ସାଇନ୍ସ ସୋସାଇଟି ସମ୍ପାଦକ ଭାବେ ପ୍ରୀତିସ୍ମିତା ବାରିକ ପ୍ରମୁଖ ବିଜୟୀ ହୋଇଛନ୍ତି। ଅପରାହ୍ଣ ୩ଟାରୁ ଗୋଟ୍ ଗଣତି ଆରମ୍ଭ ହୋଇଥିଲା। ମାତ୍ର ୧,୫୦୬ ଭୋଟ ଗଣିବାକୁ ୧୧ଘଣ୍ଟା ସମୟ ଲାଗିଯାଇଥିଲା। ୫ଟି ବୁଥ୍ରେ ଭୋଟ ଗଣନା ହେଉଥିଲା। ପ୍ରଥମେ ପୁରୁଣା ବିଲ୍ଡିଂରେ ଗଣତି ହୋଇଥିଲା। ତେବେ ରାତି ଅଧିକ ହେବାରୁ କୁଳପତିଙ୍କ କାର୍ଯ୍ୟାଳୟକୁ ଭୋଟ ବାକ୍ସ ନିଆଯାଇଥିଲା। ଏଜେଣ୍ଟମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ କୁହାଯାଇଥିଲା। ବାରମ୍ବାର ଭୋଟ୍ ଗଣତିକୁ ଘୁଞ୍ଚାଇବାକୁ କର୍ତ୍ତୃପକ୍ଷ ପ୍ରୟାସ କରିଥିଲେ। ମାତ୍ର ଛାତ୍ରୀମାନଙ୍କ ପ୍ରବଳ ଚାପ ଭୋଟ ଗଣତି ଶେଷ କରି ରାତି ପ୍ରାୟ ୨ଟା ୪୫ରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ବାଚନ ଫଳାଫଳ ଘୋଷଣା କରିଥିଲେ।
ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଏବିଭିପି ବାଜିମାତ୍ କରିଛି। ପ୍ରଥମ ଥର ପାଇଁ ଏବିଭିପି ରାଜ୍ୟର ଏହି ପ୍ରମୁଖ ଶିକ୍ଷାନୁଷ୍ଠାନରେ ବିଜୟ ଧ୍ବଜା ଉଡ଼ାଇଛି। ସଭାପତି, ସାଧାରଣ ସମ୍ପାଦକ ଭାବେ ଏବିଭିପିର ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଘୋଷଣା ଅନୁଯାୟୀ ଏବିଭିପି ସମର୍ଥିତ ସଭାପତି ଭାବେ ଅଭିରାମ ମିଶ୍ର, ଉପସଭାପତି ଭାବେ ପପୁ ରାଉତ, ସାଧାରଣ ସମ୍ପାଦକ ଭାବେ ଆୟୁଷୀ ପ୍ରଧାନ, ଯୁଗ୍ମ ସାଧାରଣ ସମ୍ପାଦକ ଭାବେ ଜ୍ୟୋତିଶ୍ରୀ ସାହୁ ବିଜୟୀ ହୋଇଛନ୍ତି। ସେହିପରି ବାଣୀବିକାଶର ସମ୍ପାଦକ ଭାବେ ଜୀବନଜ୍ୟୋତୀ ବିଶ୍ବାଳ, କ୍ରୀଡ଼ା ସମ୍ପାଦକ ଭାବେ ଜ୍ଞାନ ରଞ୍ଜନ ପରିଡ଼ା, ସହ କ୍ରୀଡ଼ା ସମ୍ପାଦକ ଭାବେ ସୁସ୍ମିତା ସାହୁ, ଏସ୍ଏସ୍ଜି ସମ୍ପାଦକ ଭାବେ ମିଲନ କୁମାର ମେହେର, ସାଂସ୍କୃତିକ ସମ୍ପାଦକ ଭାବେ ଉତ୍ତମ କୁମାର ମାଝୀ ବିଜୟୀ ହୋଇଥିବା ଜଣାପଡ଼ିଛି।

୧୫ ଥର ମୁହାଁମୁହିଁ, ଚୁଟି ଝିଙ୍କାଝିଙ୍କି
ବିସିଜେଡି ଓ ଏବିଭିପି ଛାତ୍ରଛାତ୍ରୀ ଆଜି କ୍ୟାମ୍ପସ ସମ୍ମୁଖରେ ୧୫ଥର ମୁହାଁମୁହିଁ ହେବା ସହ ହାତାହାତି ହୋଇଥିଲେ। ସକାଳ ୭ଟାରେ ଆଇଜି ହଷ୍ଟେଲରୁ ଆରମ୍ଭ ହୋଇଥିବା ହାତାହାତି ରାତି ପ୍ରାୟ ୧ଟା ପର୍ଯ୍ୟନ୍ତ ଜାରି ରହିଥିଲା। ମଝିରେ ମଝିରେ ପରସ୍ପର ବିରୋଧରେ କହୁଥିଲେ। କିନ୍ତୁ ହାତାହାତି ହେବା ପରିସ୍ଥିତିକୁ ଅଧିକ ଉଷ୍ମ କରିଥିଲା। ୩ ପ୍ଲାଟୁନ୍ରୁ ଅଧିକ ପୁଲିସ ଫୋର୍ସ ମୁତୟନ ହୋଇଥିଲେ ମଧ୍ୟ ଛାତ୍ରୀଙ୍କୁ ଅଟକାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଏପରିକି ୨ ଜଣ ପୁଲିସ କର୍ମଚାରୀ ଛାତ୍ରୀଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଉଭୟ ଛାତ୍ର ସଙ୍ଗଠନ ଛାତ୍ରୀଙ୍କ ଗଣ୍ଡଗୋଳ ମଧ୍ୟରେ ଏକାଧିକ ଥର ଚୁଟି ଝିଙ୍କାଝିଙ୍କି ହୋଇଥିଲେ। ମଝିରେ ମଝିରେ ଉଭୟ ସଙ୍ଗଠନର ଯୁବକମାନେ ମଧ୍ୟ ହାତାହାତି ହେବା ପରିସ୍ଥିତିକୁ ଅଧିକ ଗରମ କରିଥିଲା। ରାତି ପ୍ରାୟ ୧୨ଟା ବେଳକୁ ଉଭୟ ସଙ୍ଗଠନର ଯୁବକମାନେ ହୋହାଲ୍ଲା କରିବା ସହ ଆରୋପ ପ୍ରତ୍ୟାରୋପ ଜାରି ରଖିଥିଲେ।
ଇପ୍ସିତାଙ୍କୁ ଉଠାଇନେଲା ପୁଲିସ
ଭୁବନେଶ୍ବର: ରମାଦେବୀ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ଛାତ୍ରୀଙ୍କ ମଧ୍ୟରେ ବିବାଦ ବଢ଼ୁଥିଲା ବେଳେ ଅପରାହ୍ନ ପ୍ରାୟ ୧ଟାରେ ଏକ ଅପ୍ରତ୍ୟାଶିତ ଘଟଣା ଘଟିଲା। ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁଙ୍କୁ ପୁଲିସ ଉଠାଇନେଲା। ଏହି ସମୟରେ ପୁଲିସ ସହ ତାଙ୍କର ଭୀଷଣ ଯୁକ୍ତିତର୍କ ହୋଇଥିଲା। କ’ଣ ପାଇଁ ଉଠାଇ ନେଲା ସେନେଇ ଉପସ୍ଥିତ ପୁଲିସ ଅଧିକାରୀ ଉତ୍ତର ଦେଇ ନ ଦେବାରୁ ଏହାକୁ ନେଇ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା। ସେମାନେ ରାସ୍ତାକୁ ଆସି ହୋହାଲ୍ଲା କରିଥିଲେ। ଏହାର କିଛି ସମୟରେ ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ବର ମେୟର ସୁଲୋଚନା ଦାସ ପ୍ରମୁଖ ପୁଲିସ କମିସନରଙ୍କୁ ସାକ୍ଷାତ କରି ଇସ୍ପିତାଙ୍କୁ ତୁରନ୍ତ ଛାଡ଼ିବାକୁ ଦାବି କରିଥିଲେ। ଅପରାହ୍ଣ ୫ଟାରେ ଇସ୍ପିତାକୁ ପୁଲିସ ଛାଡ଼ିଥିଲା। ତେବେ ତାଙ୍କୁ କ୍ୟାମ୍ପସ ନିକଟକୁ ଆସିବାକୁ ପୁଲିସ ବାରଣ କରିଥିଲା। ଏହା ପରେ ଇପ୍ସିତା ଶଙ୍ଖ ଭବନ ଯାଇ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଓ ପୁଲିସକୁ ଟାର୍ଗେଟ୍ କରିଥିଲେ।
ଉତ୍ସାହିତ ଛାତ୍ରଛାତ୍ରୀ ୬୮.୬୯% ମତଦାନ
ଦୀର୍ଘ ୯ ବର୍ଷ ପରେ ଉତ୍କଳ ବିଶ୍ବବିଦ୍ୟାଳୟରେ ନିର୍ବାଚନ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ସକାଳ ୮ଟାରୁ ଅପରାହ୍ଣ ୨ଟା ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ କ୍ୟାମ୍ପସରେ ମତଦାନ ହୋଇଥିଲା। ଧାର୍ଯ୍ୟ ସମୟ ମଧ୍ୟରେ ୬୮.୬୯% ମତଦାନ ହୋଇଥିଲା, ଯାହାକି ଅନ୍ୟ ବର୍ଷଗୁଡ଼ିକ ତୁଳନାରେ ବହୁତ ଅଧିକ ଥିଲା। ଗତକାଲି ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକରେ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ଆଜି କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଥିଲା। କ୍ୟାମ୍ପସର ୩୫ଟି ବିଭାଗରେ ମତଦାନ କେନ୍ଦ୍ରରେ ପାଖାପାଖି ୩ହଜାର ୫୦୦ ଛାତ୍ରଛାତ୍ରୀଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ବ୍ୟବସ୍ଥା ହୋଇଥିଲା। ଅପରାହ୍ଣ ୨ଟାରେ ଭୋଟ ଗ୍ରହଣ ସରିବା ପରେ ବାକ୍ସଗୁଡ଼ିକୁ ବାଣିଜ୍ୟ ବିଭାଗକୁ ସ୍ବତନ୍ତ୍ର ଗାଡ଼ିରେ ପୁଲିସ ସୁରକ୍ଷାରେ ଅଣାଯାଇଥିଲା। ସେଠାରେ ୪ଟି କାଉଣ୍ଟରରେ ଭୋଟ ଗଣତି ହୋଇଥିଲା। ସମସ୍ତ କେନ୍ଦ୍ରରେ ସିସିଟିଭି ସହ ପୁଲିସ ସୁରକ୍ଷା ବ୍ୟବସ୍ଥା ହୋଇଥିଲା।
ଭାଙ୍ଗିଲା ଛାତ୍ର ବିଜେଡି ଗଡ଼
ଲଗାତାର ଭାବେ ଉତ୍କଳ କ୍ୟାମ୍ପସରେ ବିଜୟର ବାନା ଉଡ଼ାଉଥିବା ଛାତ୍ର ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଉତ୍କଳରେ ବିସିଜେଡି ଏଥର ଚିତ୍ପଟାଙ୍ଗ ମାରିଛି। କୌଣସି ଗୋଟିଏ ବି ପଦବିରେ ସଙ୍ଗଠନର ପ୍ରାର୍ଥୀ ବିଜୟୀ ହୋଇପାରି ନାହାନ୍ତି। କେବଳ ସେତିକି ନୁହେଁ, ଗୋଟିଏ ସମୟରେ ଶୀର୍ଷରେ ରହୁଥିବା ଛାତ୍ର ବିଜେଡି ଏଥର ତୃତୀୟ ସ୍ଥାନକୁ ଖସି ଆସିଛି। ପୂର୍ବ ବର୍ଷଗୁଡ଼ିକ ଭଳି ଏଥର ମଧ୍ୟ ଛାତ୍ର କଂଗ୍ରେସ ଦ୍ବିତୀୟ ସ୍ଥାନ ବଜାୟ ରଖିବାରେ ସକ୍ଷମ ହୋଇଛି। ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ ପୂର୍ବରୁ ଏଠାରେ ସଭାପତି ରହିଥିବାରୁ ତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିଲା। ମାତ୍ର ତାହା ହୋଇପାରି ନାହିଁ।
